ଦୀପ

ଦିନ ଦି’ ପହର
ଇଚ୍ଛାହେଲା ଦୀପଟିଏ ଜାଳିବି ।

ଠୋ ଠୋ ହସିଲେ ଦଳେ ସ୍ତ୍ରୀଲୋକ
ରାଗ କଟମଟକରି ଅନେଇଲେ ଗାଁର ସରପଞ୍ଚ
ପାଗଳବୋଲି ଟେକା ଫିଙ୍ଗିଲେ କେତୋଟି ଦୁଷ୍ଟ ପିଲା ।

“ଦିନ ଦ୍ବି ପହରେ କିଏ ବା ଦୀପ ଲଗାଏ !”
ସମସ୍ତଙ୍କର ସେଇ ଗୋଟାଏ ତାତ୍ସଲ୍ୟ ।

ମଣିମା !

ଦି ପହରରେ ବି ଚୂଲି ଜଳେ
ଭୋକପାଇଁ

ଶ୍ମଶାନରେ ହୁତୁହୁତୁ ହୋଇ ନିଆଁଜଳେ
ମୁକ୍ତିପାଇଁ

ସୁନନ୍ଦାକୁ କିରୋସିନିରେ ଜଳାଯାଏ
ଯୌତୁକପାଇଁ

କୁନ୍ଦୁଲି ପୀଡିତାକୁ ଜଳାଯାଏ
(ସରକାରର) ଇଜ୍ଜତ ପାଇଁ

ବୁଢ଼ୀମା’ ଆଖିରେ ଲୁହଜଳେ
ଚାଖଣ୍ଡେ ଘରପାଇଁ

ପ୍ରେମିକାର ସାଙ୍ଗ ମନେ ମନେ ଜଳୁଥାଏ
ଈର୍ଷ୍ୟାପାଇଁ

ପଡୋଶିନୀର ଆଳୁଭଜା ଜଳିପୋଡି ଯାଏ
ମୋ କବିତାପାଇଁ

କବିକଲମରେ ପଳାଶଫୁଲ ଜଳୁଥାଏ
ବିପ୍ଳବପାଇଁ ।

ଏ ପୃଥିବୀରେ ଜଳିବାକୁ ଜାଳେଣି ଲୋଡ଼ାନାହିଁ
ପରିସ୍ଥିତି ସମସ୍ତଙ୍କୁ ବେଫିକର ଜାଳୁଥାଏ
ଏ ପୃଥିବୀରେ ଜଳିବାକୁ ଜାଳ ଖୋଜନାହିଁ
ନିଜ ଅସ୍ତିତ୍ୱ ଜାହିର କରିବାକୁ ମଣିଷ ବେତମାମ ଜଳୁଥାଏ

ମୁଁ ବି ଜାଳିଦେଇଛି ଦୀପଟିଏ
ତୁମ ଶୁଭମନାସି
ତୁମେ ଖୁସିରେ ଥାଅ ବୋଲି
ଅହରହ ,ଦିନ ରାତି, ସଂଜସକାଳ ,
ଦିନ ଦିପହରରେ ବି ।
ତୁମେ ବ୍ୟସ୍ତହୁଅନି
କେବେ ଲିଭିବନି
ଆସୁପଛେ ଯେତେ ଝଡ଼ଜଞ୍ଜାଳ ।

ମୁଁ ଏମିତି ଜଳୁଥିବି ।

#ଶୁଭ_ଦୀପାବଳୀ

This Post Has 2 Comments

  1. Bahut sundar

Leave a Reply

Close Menu
error: Content is protected !!