ତୁ ଫେରିଆ’ ରେ …

ଫେରିଆ’ ରେ !
ନଚେତ ଆମେ ବି ଉଡିଯିବୁ ସେ ପାରିକୁ ….

ଆଜି ବି ମନେ ପଡେ ସେଇ ବର୍ଷା ଦିନ
ଗୋଟେ ଧଳା କାଗଜକୁ ମୋଡି ମାଡି
ଦୁଇଟି କାଗଜ ଡଙ୍ଗା ବନେଇ
ଗୋଟିଏ ମୋ ହାତରେ ଧରେଇ ଦେଇଥିଲୁ ।
ମୋ ଡଙ୍ଗା ଭାଙ୍ଗିଗଲା
ତୁ ତୋ ଡଙ୍ଗାରେ ଭାସି କୁଆଡେ ଚାଲିଗଲୁ ?

ଆମ ଗାଁ ପୋଖରୀ କଥା ମନେ ଅଛି ?
ହୁଡ଼ାରେ ଥିବା ଆମ୍ବ ଗଛକୁ ଚଢି ଯାଉଥିଲୁ
ଆମ୍ବଟିଏ ମୋ ଆଡ଼କୁ ଫିଙ୍ଗି
ଡେଇଁ ପଡୁଥିଲୁ ଗଭୀର ପାଣିକୁ
ମୋ ଆମ୍ବ ଖିଆ ନ ସରୁଣୁ ତୁ ପହଂଚିଯାଉ
ଆର କୂଳକୁ
ମୁଁ ଧାଇଁ ଆସେ ତୋ ପାଖକୁ ଗାମୁଛା ନେଇ
ତୋ ପାଖକୁ ।
ଆଜି ବି ଆସିବି ??

ବଗିଚାରେ ଫୁଲ ତୋଳିବା ମନା
ଥରେ ତୋଳିଥିଲି ଯେ କାନ ମୋଡିଥିଲୁ ।
ପ୍ରଜାପତି ସବୁ ଦେଖି ତାଳି ମାରୁ
ତାଙ୍କର ଡେଣା ଅଛି ,ରଙ୍ଗ ଅଛି
ଭଗବାନଙ୍କ ଦୂତ ବୋଲି ଉଡି ପାରନ୍ତି ।
ବଗିଚାରେ କ୍ରିକେଟ ଖେଳିବା ମନା
ବୟସର ବହପ ଦେଖାଇ ଖେଳରେ କେବେ ବୋଲିଂ କରିନୁ
ଆଉ ତୁ କେମିତି ଉଡିବା ଶିଖିଗଲୁ ???

ଗୁଣ୍ଡିଚା ହାଟର ଭିଡ଼ ଭିତରେ
ବାଟ କଢାଇ ନେଉ ଶଙ୍ଖ ଫୁଙ୍କା ଭଗିରଥ ପରି ।
ଏବେ ମୋତେ ଭିଡ଼ ମନା ଏକବାରେ ।
ଆଖିରୁ ଝରୁଚି କିଛି ଗଙ୍ଗାଜଳ
ପିଇ ଯିବି ଚଲା ବାଟେ ଶୋଷ ଲାଗିଲେ ।
ନିଜ ଛାଇକୁ ଛତା ବନେଇ
ବଂଚିଯିବି ନିଦାଘ ଦାରୁଣ୍ୟରେ ।
କଷ୍ଟେ ମଷ୍ଟେ ବିତି ଯିବ କିଛି ଦିନ
ଯେମିତି ମୁଁ ଚଳୁଥିଲି ହଷ୍ଟେଲ ଗଲା ପରେ ।
ତୁ ହଷ୍ଟେଲକୁ ଫେରିଗଲୁକି ?

ଆଉ ଯେ କେତେ ଦିନ
ଏକା ଏକା ବୋହୁ ଚୋରି ଖେଳୁଥିବି
ଲୁଚୁଥିବି ତୋ ଖଟ ତଳେ
ଆଉ ଯେ କେତେ ଦିନ
ଏକା ଏକା ଲଢ଼ୁଥିବି ଫାଳେ ଚକୁଳି ପାଇଁ
ଟିଉସନ ନ ଯିବା ବାହାନାରେ
ଆଉ ଯେ କେତେ ଦିନ
ଏକା ଏକା ଅନ୍ତାକ୍ଷରୀ ଖେଳୁଥିବି
ଅନ୍ଧାରକୁ ଡରିବା ବାହାନାରେ

ଆଉ ହବନି …
ଏକା ଏକା ମୁଁ ପାରିବିନି ।

ତୁ ଫେରିଆ’ ରେ …
ତୁ ଫେରିଆ’ ରେ ….

This Post Has 2 Comments

  1. ଅତି ସୁନ୍ଦର ଭାବର କବିତା, ମନୋଜ ଭାଇ ।

    1. ଧନ୍ୟବାଦ ଭାଇ

Leave your footprints here... say your heart out !

Manoj Kishore Nayak

Hitherto known as the "Tissue Paper Poet" and credited many a times with initiating the same genre of poetry I, contemplated of writing this blog where I could inter-alia, endeavour to write my random thoughts and publish that of others. The blog will contain subjects of myriad hues ranging from poetry & travelogues to sundry incidents. Being a 'bookaholic' I would like to tell you about the books I read and the authors I meet across the corners which will quench your thirst for literary entertainment and will impart a certain cachet to your intellectuality. Read More...
Close Menu
%d bloggers like this: