ଅଭିଶପ୍ତ ମୃତ୍ୟୁ

ଅଭିଶପ୍ତ ମୃତ୍ୟୁ

ଦେବାନାଂ ପ୍ରିୟ ଦେଵପ୍ରିୟ ଚନ୍ଦ୍ରଦେଵ !

ଅମାନିଆ ଅଝଟିଆ ଦୁଷ୍ଟଟେ ପାଇଁ ‘ମାମୁଁ’ ବନିଯାଏ
ଭଉଣୀର ଡାକ ଶୁଣି ଆକାଶର ପାହାଚରେ ଓଲହେଇ ଆସେ ଧିରେ ଧିରେ
ହସ ହସ ମୁହଁରେ ଦୁଧଭାତ ଖାଇଯାଏ କେହି ଜଣେ ଦରୋଟି ବାଳକ ।

କେଉଁ ମତୁଆଲା ପ୍ରେମିକର ସେ ଉନ୍ମତ୍ତ ପ୍ରେମିକା
ସତେ ଯେମିତି ସାମ୍ନା ଘର ଝରକାରୁ ଲାଜେଇ ଲାଜେଇ ଚାହୁଁଛି
ତ କେଉଁ ପରୀ ମହଲରେ ରାଜକୁମାରୀ ପାଇଁ
କଳା କାନଭାସରେ ଲାଗିଥିବା ନୀଳ ଦର୍ପଣଟିଏ
କେହି ଜଣେ ବୃଦ୍ଧ ଆଜି ନତ ମସ୍ତକ
ଯାହା ପାଇଁ ସାଜିଛି ଆରାଧ୍ୟ ଦେବତାଟିଏ।

କୃତ କୃତ୍ୟ ହୋଇଉଠେ ଦେଵପ୍ରିୟ ଚନ୍ଦ୍ରଦେବଙ୍କ ଦିଗବଳୟ ବ୍ୟାପ୍ତ ବିଶାଳ ହୃଦୟ
ବାହୁପ୍ରସାରୀ ଆପଣେଇ ନିଅନ୍ତି ପୃଥିବୀବାସୀଙ୍କୁ
ପ୍ରେମଇ ସର୍ବସ୍ୱ ଧରା ପୃଷ୍ଠରେ
ବିଛୁରିତ ହୁଏ ନୀଳ ଜ୍ୟୋତିସ୍କର ଆତ୍ମୀୟତା
ଲଙ୍ଘିଯାଏ ସମ୍ପର୍କ ତାର ନିଃସର୍ଗ ନିଃସର୍ତ୍ତ ପରିସୀମା
ଆପଣେଇ ନିଅନ୍ତି ପୃଥିବୀବାସୀଙ୍କୁ ଅତି ନିଜର।

ଏଣେ ଦେବ- ମାନବର ଅତ୍ମୀୟତାରେ ବିଦ୍ରୋହକରେ ଦେବତ୍ୱର ଅଭିମାନ
ଇନ୍ଦ୍ରସଭାରେ ଫେରାଦ ପଡେ ଚନ୍ଦ୍ରଙ୍କୁ ଫେରିଆସିବା ପାଇଁ ସ୍ୱର୍ଗପୁରୀ।

ଅଥଚ ନିଃଶ୍ଚଳ ଅଟଳ ରହିଯାଆନ୍ତି ଜହ୍ନ
ଜୀବନ ତମାମ ପୃଥିବୀବାସୀଙ୍କୁ ଚାହିଁ ରହିଥିବାର ଭୀଷ୍ମ ପ୍ରତିଜ୍ଞାରୁ
ଦେବତାଙ୍କ ଆକ୍ରୋଶର ବିଷ ନେଇଆସେ ଅଭିଶାପର ଅକାଳ ମୃତ୍ୟୁ ।

ବ୍ୟଥିତ ଜହ୍ନ ଇତସ୍ତତଃ ଘୁରି ନିବେଦନ କରିଛି
ବିବଶ ଅଞ୍ଜଳୀରେ ପ୍ରଭୁ ବିଷ୍ଣୁଙ୍କ ପାଦପଦ୍ମେ ।

ଆଶ୍ୱାସନା ମିଳିଛି
ଯଦିଓ ଦେବତାଙ୍କ ପ୍ରବଜ୍ଞା ବୃଥା କି ନିଷ୍ଫଳ ହେବ ନାହିଁ
ପୃଥୀବିବାସୀଙ୍କ ପ୍ରେମ ହିଁ ପରାସ୍ତ କରିପାରିବ
ଦେବତାଙ୍କ କ୍ରୁର ଆକ୍ରୋଶକୁ
ଏଣୁ ସାବ୍ୟସ୍ତ କରିବାକୁ ହେବ ପ୍ରତିପକ୍ଷର ପ୍ରେମ
ପୃଥୀବିବାସୀଙ୍କ ପ୍ରେମ ।

ଫେରିଆସିଛନ୍ତି ଜହ୍ନ
ପ୍ରିୟ ପୃଥୀବିବାସୀଙ୍କ ନିକଟକୁ
ଅଭିଶାପର ବଶବର୍ତ୍ତୀ ହୋଇ ଗ୍ରାସ କରିଛି ଚନ୍ଦ୍ରକଳାର ରୋଗ
ଲିଭି ଯାଇଛି ଆଖିରୁ ଆଲୁଅ
ଓ ସ୍ୱତଃ କ୍ଷୀଣ ଆତ୍ମାର ଅଭିମାନ
ମରିପଡିଛି ଅନ୍ଧାରରେ
ପୋତି ହୋଇଛି ଏକ ଅଭିଶପ୍ତ ଜୀବନ
ଶବାଧାରେ ଲମ୍ବିଛନ୍ତି ମିଞ୍ଜି ମିଞ୍ଜି ସହସ୍ର ତାରା ଗଣ
ଖସିପଡୁଛି ସ୍ୱର୍ଗରୁ ଉଲ୍କାର ଫୁଲ
ହେଲେ

କାନ୍ଦୁଛି ତ କଳା ମେଘଟିଏ ଲୁହର ଅବିରତ ଧାରେ
କାହିଁ ପ୍ରେମ
କାହିଁ ତା’ ପ୍ରିୟଜନ
ନା ଭଉଣୀର ସ୍ନେହ
ନା ଭଣଜାର ପିଣ୍ଡଦାନ
ନା କବିର କଲମ
ନା ପ୍ରେମିକାର ଆକୁଳ ରୋଦନ
ଶବ ବହିବାକୁ ବି ମିଳୁନନାହାନ୍ତି ଚାରିଟି କାନ୍ଧ ପୃଥିବୀବାସୀଙ୍କଠାରେ

ଆକାଶର ରାଜରାସ୍ତାରେ ମୃତ ଜହ୍ନର ଶବାଧାର
ଅନ୍ଧାର ଅସ୍ତ ହେବାକୁ ଗଲାଣି
ତଥାପି କେଉଁ ମଣିଷର ଦେଖା ନାହିଁ
ନା କେଉଁ ହୀନବୀର୍ଯ୍ୟ ରାଜପୁତ୍ର
ନା କେଉଁ ସ୍ୱାର୍ଥାଙ୍ବେଷି ରାଜନେତା

ପରାସ୍ତ ହୋଇଛି ମାନବୀୟ ପ୍ରେମ ତାର ଅଗ୍ନୀ ପରୀକ୍ଷାରେ
ଅତିଶୟ ଦାରୁଣ ଲାଗେ ଏ ମରଣର ଯନ୍ତ୍ରଣା

ପୁଣି ଯେତେବେଳେ
ପ୍ରେମିକାର ଛଳନାକୁ କବି କହେ ଅମବାସ୍ୟାର ଚନ୍ଦ୍ର
ପକ୍ଷୀର ସଂଗୀତରେ ସାଜେ ଅନ୍ଧାର ରାତିର ଵାରାଙ୍ଗନା
କେହି ଜଣେ ସୁନ୍ଦରୀ ଭର୍ସନା କରନ୍ତି କଳଙ୍କିତ ପ୍ରତିବିମ୍ବ କୁ
ଆଉ ବା କେତେ ସହିବେ ଏ ଜହ୍ନ
ନିଜକୁ ନିଜେ ଦଂଶନ କରନ୍ତି
ସତେ ଯେମିତି ଘଟିଯାଏ ଏକ ହୃଦୟର ଆତ୍ମହତ୍ୟା
ବାରିହୁଏ ପାହାନ୍ତି ଆକାଶରେ ରକ୍ତର ରଂଗଛିଟା।

ତଥାପି ବୃଥା ଅସ୍ଫାଳନକୁ ଆଶା କରି
ପୁଣି ଥରେ ନେଇଛନ୍ତି ଜୀବନ୍ୟାସ
ମରିବା ପାଇଁ
ଥରେ ନୁହଁ କି ଦୁଇ ଥର
ସହସ୍ର ଥର
ତାର ପ୍ରିୟ ମଣିଷଟିଏ ନ ଆସିବା ଯାଏଁ ତା ଶାବାଧାରେ
ଅବୋରିନେଇ କରାଳ ମୃତ୍ୟୁର ଦାରୁଣ ସତ୍ୟକୁ
ପୁଣିଥରେ ପୋତିହେବାକୁ ଆକାଶର ଅନ୍ଧାର ମାଟିରେ
କେଉଁ ଏକ ଅଭିଶପ୍ତ ଅମାବାସ୍ୟାର ରାତିରେ ।

Leave your footprints here... say your heart out !

Manoj Kishore Nayak

Hitherto known as the "Tissue Paper Poet" and credited many a times with initiating the same genre of poetry I, contemplated of writing this blog where I could inter-alia, endeavour to write my random thoughts and publish that of others. The blog will contain subjects of myriad hues ranging from poetry & travelogues to sundry incidents. Being a 'bookaholic' I would like to tell you about the books I read and the authors I meet across the corners which will quench your thirst for literary entertainment and will impart a certain cachet to your intellectuality. Read More...
Close Menu
%d bloggers like this: