ସୁନା ଫୁଲ

“ମା’! ମୁଁ ସୁନାପିଲା ହେବି”

“ମା’! ମୁଁ ସୁନାପିଲା ହେବି”
କେହି ଜଣେ ଜୋରରେ ଗାଉଥାଏ
ସ୍ୱର ଜାଣି ଦଉଡି ଗଲି ବଗିଚାକୁ
ବଡ଼ ମା’ ପାଣି ଦେଉଥାଏ ଗଛ ମୂଳରେ
ତା’ କାନ୍ଧରେ ଝୁଲି ପଡିଥାଏ
ଜଣେ ବିଲାତ ଫେରନ୍ତା ବାଳକ ।

ସ୍କୁଲ ଯାଉଥିବା ପିଲାଙ୍କୁ ଦେଖିଲେ ଲାଗେ
ସେମାନେ ସବୁ ବିଲାତି ବାବୁ ।
ବହି ବସ୍ତାନି ଧରି ସ୍କୁଲକୁ ଯିବା
ଦଶରୁ ଚାରି ବସିବା, ହସ୍ତାକ୍ଷର ଲେଖିବା
ସେସବୁ ପାଇଁ ମୋର ସାହସ ଆଉ ଧୈର୍ଯ୍ୟ ନ ଥାଏ
ଯଦିଓ ଗୀତ ଶିଖି ଗାଇବାକୁ ଇଛା
“ମା’! ମୁଁ ସୁନାପିଲା ହେବି” ।

ବଡ଼ ମା’ ଗେଲ କରୁଥାନ୍ତି
ଗାଲରେ ଚୁମା ଦେଇ କହୁଥାନ୍ତି
‘ମୋ’ ପୁଅ ସୁନା ଫୁଲଟିଏ ପରା’ !
ମୁଁ ବି ଭାବୁଥାଏ
ବଡ଼ ହେଲେ ସ୍କୁଲକୁ ଯିବି
ସୁନା ଫୁଲ ନହେଲା ନାହିଁ
ସୁନା ପିଲାଟିଏ ନିଶ୍ଚିତ ହେବି ।

ସୁଯୋଗ ଦେଖି ପଚାରିଲି
‘ଭାଇ,ସୁନା ଫୁଲ ମୁଁ କେମିତି ହେବି?’
ତା ସ୍କୁଲ ବ୍ୟାଗ ମୋ କାନ୍ଧରେ ଝୁଲେଇ ଦେଇ ବୁଝାଉଥାଏ
‘ମୁଁ ସବୁ ଦିନ ସ୍କୁଲ ଯିବି ।
ସବୁଦିନ ହସ୍ତାକ୍ଷର ଲେଖିବି
ବହୁତ ପାଠ ପଢିବି, ଚାକିରୀ କରିବି ‘

‘ଆଉ?’

”ଆଉ ବାପାଙ୍କୁ ଦେବି ଥାଳି ଭର୍ତ୍ତି ସୁନା ଭାତ
ମା’ ପାଇଁ ସୁନାର ହାର
ଭଉଣୀକୁ ଦେବି ସୁନା ରଙ୍ଗର ପାଟ ଶାଢ଼ୀ ।
ଧାନ ଫଳି ହସୁଥିବ ଆମ ସୁନାର କ୍ଷେତ
ସୁନା ପରି କଥା କହୁଥିବି ଖାଣ୍ଟି ସତ
ଆହୁରି ବି ଅଛି
‘ସୁନାର ଭାରତ’, ‘ସୁନାର ସ୍ବପ୍ନ’
ସେସବୁ ଉପର ଶ୍ରେଣୀରେ ବୁଝିଲେ କହିବି।
ସୁନା ପିଲା ହେବା କଣ ଏତେ ସହଜ ?”

ସ୍କୁଲ ଯିବା ସମୟ ଆସିଗଲାଣି
ବଡ଼ମା ଟିକେ ଗେଲ କରି
ନେଇ ଗଲେ ତା’କୁ
କହୁଥାନ୍ତି,’ତୁ ମୋ ସୁନା ଫୁଲ’।
ତାଙ୍କୁ କି ଜଣା ଥିଲା
ଫୁଲସବୁ ଅଦିନରେ ତୋଳା ହୁଅନ୍ତି
ଶୋଭା ପାଇବାକୁ ପ୍ରଭୁଙ୍କ ପାଦ ପଦ୍ମରେ ।

ଆଜି ଆମ ବଗିଚାରେ ମହକ ନାହିଁ
ମହକୁଛି କିନ୍ତୁ ମନ୍ଦିର ଆଉ ସ୍ୱର୍ଗ
କେହି ଗାଉ ବି ନାହାନ୍ତି
“ମା’! ମୁଁ ସୁନାପିଲା ହେବି”
ଚୁପ ଚାପ ବସି ପଡିଛନ୍ତି
ମା’, ପ୍ରଜାପତି ଆଉ କାନରେ ଝୁଲୁଥିବା ସୁନା ଫୁଲ !

3 thoughts on “ସୁନା ଫୁଲ”

  1. subhendu shekhar nayak

    manoj Bhai badia heichi gapo ti, apano kna pakhare jou kala achi taku banchei rakhantu, agami padhi padhi prerona hebo?

Leave a Reply

error: Content is protected !!