ସୀମା

“ମା’ ସୀମା କ’ଣ ?”
ତିନି ବର୍ଷର କୁନି ଛୁଆକୁ ବୁଝେଇବେ କେମିତି ?
ଏଣେ ରୋଷେଇଘରେ ବ୍ୟସ୍ତତାରେ ବ୍ୟାଗ ଉପରୁ ହାତ ଉଠାଉ ଉଠାଉ
ଗଳି ପଡୁଥିଲେ ଆଳୁ ସବୁ
ସୀମାରେ ଲଢେଇ କରୁଥିବା ସୈନିକମାନଙ୍କର ମୁଣ୍ଡ ପରି ।
“ଯେଉଁଠି ଆମ ଦୁନିଆ ସରି ଯାଏ ସେଇଟା ଆମ ସୀମା ”
ମା’ର ଉତ୍ତର ବୁଝି ପାରୁନଥାଏ କୁନି ଛୁଆଟି ।
ରିମୋଟକୁ ଦାନ୍ତରେ କାମୁଡ଼ି କାମୁଡି ପଚାରୁଥାଏ,
“ମା’ ,ବାପା ତ କହୁଥିଲେ ଦୁନିଆଟି ଗୋଲ,
ତାହେଲେ ୟେ ସରେ କେଉଁଠି ?”
କେମିତି ବୁଝେଇବେ ନିଜ ପୁଅ କୁ
ଦୁନିଆ ଗୋଲ ଥିଲେ ବି ଏମିତି ଏକ ଜାଗା ଅଛି
ଯେଉଁଠି ମାନବିକତା ଆଉ ଭାଇଚାରା ସରିଯାଏ
ସେଇଠି ହାତରେ ହାତ ମିଶାଇ ନୁହଁ
ବନ୍ଧୁକରୁ ଗୁଳି ଫୁଟାଇ ଅଭିବାଦନ ଜଣାନ୍ତି ଉଦିତ ସୂର୍ଯ୍ୟକୁ
ଚାଖଣ୍ଡେ ମାଟି ପାଇଁ
ଆଉ ସେଇ ମାଟିରେ ଆଧିପତ୍ୟ ଜାହିର କରିବାକୁ ।
ଏସବୁ ପିଲା ଟି ବୁଝି କଣ କରିବ?
ଟି ଭି ରୁ ଭାସି ଆସୁଥାଏ ଜଣେ ନାରୀର ସ୍ୱର
ବାର ଜଣ ସୈନିକ ର ମୁଣ୍ଡ କାଟି ନେଇ ଯାଇଛି ପାକିସ୍ତାନ।
ସୀମାରୁ ଖବର ଆସିଲେ ସୈନିକର ସ୍ତ୍ରୀ ଅଣନିଃଶ୍ୱାସୀ ହୋଇପଡେ
ତା’ ଛାତିରେ ଲଦି ହୋଇଯାଏ ଆଶଙ୍କାର ହିମାଦ୍ରୀ
ଦଉଡି ଗଲେ ସେ, ରୋଷେଇ ଘରୁ ଟିଭି ପାଖକୁ
ଆଗେ ଆଗେ ସେ ,ପଛେ ପଛେ କୁନି ଛୁଆ
ପାଦର ପାଉଁଜି ଆଉ ହାତର ଚୁଡି ବାଜୁଥାଏ …
ରୁଣୁ ଝୁଣୁ ଶବ୍ଦରେ
ଶେଷ ଥର ପାଇଁ !

Leave a Reply

Close Menu
error: Content is protected !!