ସଂଦେହୀ ପ୍ରେମିକା

ଫୁତ୍କାର ମାରି ଗର୍ଜନ କଲା
ମୋ ସନ୍ଦେହୀ ପ୍ରିୟା
“ନା । ମୌସୁମୀ ଆସିପାରିବନି ।”

ଏଇ ବିସ୍ଫୋରକ ଆଦେଶନାମାରେ କୁହୁଳି ଉଠିଲା
ଦେହରୁ ବୋହୁଥିବା ଗମ୍ ଗମ୍ ଝାଳ ।
ଖଣ୍ଡିଆଭୂତର ପ୍ରକୋପରେ
ବକ୍ଷଦେଶରୁ ଖସିପଡ଼ିଥିବା ଘର୍ମାକ୍ତ ପଣତକୁ
ସଜାଡୁ ସଜାଡୁ କରି ଚାଲିଥିଲା
ଆତ୍ମସଂଳାପର ବିସ୍ଫୋରଣ …..
” ଗ୍ରୀଷ୍ମଛୁଟି ଦିନୁ ଗ୍ରାସ କରିଛି
ଏ ଅଲକ୍ଷଣୀ ମୌସୁମୀର ମାୟାଜାଲ ।
କ’ଣ ନା ! ଏ ମୌସୁମୀ ବହୁତ ସୁନ୍ଦର…
ସବୁଜରଂଗର ଓଦା ଶାଢୀରେ
ସତେ କି ଷୋଡ଼ଶୀ ପରିଠୁ ବଳି ,
ନୂଆ କଅଁଳିଥିବା ପତ୍ରସବୁ
ନୃତ୍ୟରେ ମଜ୍ଜିଯାଆନ୍ତି
ଦେଖି ତା’ ଅଣ୍ଟାର ଠାଣି,
ତା’ ପରଶରେ ନୂଆ ଜୀବନ ପାଆନ୍ତି ସହସ୍ର ଶୁଷ୍କ ଦୂର୍ବାଦଳ,
ଆଖିରେ ପରଳ ପଡ଼ିଯାଇଥିବା ବୁଢ଼ାବି ତା’ ଅପେକ୍ଷାରେ ହନ୍ତସନ୍ତ,
ଏ ମଲା ପୃଥିବୀ ଆଁ କରି ଅନେଇ ବସିଛି
ତା’ ଆସିବାବାଟକୁ ।
ଅଲକ୍ଷଣୀ ! ପଶିଯାଉନି ସେ ଫାଟ ଭିତରେ,
ମିଶିଯାଉନି ସେ ଅକାଳଗର୍ଭରେ ।”

ହଠାତ୍ …

ଧୂଳିପବନ ସାଂଗକୁ ଅଜାଡ଼ି ପଡ଼ିଲା ଅସରାଏ ବର୍ଷା ।
ମୋ ହାତ ଦୁଇଟିକୁ ଜହ୍ନିଲତାପରି ଗୁଡ଼େଇଦେଲି
ତା’ କଅଁଳ ଦେହରେ,
”ପ୍ରିୟେ , ମୌସୁମୀ ଆସିଯାଇଛି ।
ପାରଦର ଅଂକ କଷିବା ଏବେ ତୁମରି ଦାୟିତ୍ଵ ।”

ଲାଜରେ ଝାଉଁଳି ପଡ଼ିଲା ମୋ ସନ୍ଦେହୀ ପ୍ରିୟା ।
ଖପ୍ କିନା …
ମୋ ଶୁଷ୍କ ଓଠରେ ଠେସି ଦେଇଥିଲା ତା’ ଲୁଣିଆଓଠକୁ !

Leave a Reply

Close Menu
error: Content is protected !!