ସଂଖ୍ୟା

ଗର୍ଭାଶୟରୁ ଆରମ୍ଭ ହୋଇଯାଏ ସଂଖ୍ୟାର ଖେଳ
ଦିନ ବାର ନିର୍ଦ୍ଧାରଣ କରେ ସଂଖ୍ୟା
ଏ ପୃଥିବୀରେ ପ୍ରଥମ ଆଲୋକ ଦେଖିବାର।
କୁଆଁ କୁଆଁ ରାବ ଶୁଣି ସମସ୍ତେ ଦେଖନ୍ତି
ଡାକ୍ତରଖାନାର କାନ୍ଥରେ ଝୁଲୁଥିବା ଘଂଟାର ସଂଖ୍ୟା ।
ମା’ ଛାତିରୁ ଅମୃତ ପାନ କରିବା ହେଉ କି
ବାପାଙ୍କ ପିଠିରେ ଲଦି ହୋଇ ସ୍କୁଲ ଯିବା ହେଉ
ସବୁ ସେଇ ସଂଖ୍ୟା ହିଁ ସ୍ଥିର କରେ ।

ଧମନୀରେ ରକ୍ତର ସ୍ରୋତ
ହୃଦୟରେ ଗାଉଥିବା ଗୀତ
ଆଲୋକର ଧାବମାନ ବେଗ
ଫୁଲର ପ୍ରସ୍ଫୁଟିତ ରଙ୍ଗ
ନାରୀର ଅବୟବ ସୌନ୍ଦର୍ଯ୍ୟ
ପାର୍ଲିଆମେଣ୍ଟରେ ଗଢୁଥିବା ସାମ୍ରାଜ୍ୟ
ସମସ୍ତେ ସେଇ ସଂଖ୍ୟାର ହିଁ ଏକ ରୂପାନ୍ତର।

ସଂଖ୍ୟା ହିଁ ତ ଏକମାତ୍ର କାରଣ
ଖେଳପଡ଼ିଆରେ ଖେଳାଳୀ ସ୍ବେଦ଼ସିକ୍ତ
ବିଦ୍ୟାଳୟରେ ଶିକ୍ଷାର ଦିଶାହୀନ ଲକ୍ଷ୍ୟ
ମନ୍ଦିରରେ ଭଗବାନଙ୍କ ଆଶିଷ ବି ସଂଖ୍ୟାରୁ ହିଁ ନିର୍ଦ୍ଧାରିତ ।

ସଂଖ୍ୟା ଅର୍ଜିବାକୁ ଏଠି ମଣିଷ ସଦା ତପ୍ତର
କିଏ ନିଜ କର୍ତ୍ତବ୍ୟରୁ ତ କିଏ ଅଧର୍ମ ,ଅନ୍ୟାୟରୁ ।
ଆଉ କେହି କେହି ସଂଖ୍ୟା ଅଭାବରେ ବିକି ଦିଅନ୍ତି
କେବେ ନିଜ ଗର୍ଭଜ ତ କେବେ ଗର୍ଭାଶୟ
ଅବା ଝୁଲିପଡ଼ନ୍ତି ଆକାଶରୁ ଖସିଥିବା ଫାଶରେ ।
ସଂଖ୍ୟା ସତରେ କେତେ ନିଷ୍ଠୁର
ଚାଖଣ୍ଡେ ପେଟ ପାଇଁ କେବେ ବେକଚିପି ଅଣନିଃଶ୍ଵାସୀ କରିଦିଏ
ଗ୍ଲୁକୋମିଟରରେ ସଂଖ୍ୟା ଦେଖି କେହି କେହି ଅନାହାରେ ଦିନ କାଟେ ।

ଏଠି ତ ପୃଥିବୀ ଏକ ନୁହେଁ
ସଂଖ୍ୟାରେ ବିଭାଜିତ ଭାତୃତ୍ୱର ସୀମା
ସଂଖ୍ୟାରେ ସୀମିତ ନିଜ କର୍ମ, ନିଜ ଗ୍ରାମ
ଆଉ ତା ପାଇଁ ଧାଉଁଥିବା ଅହରହ ନିଃଶ୍ୱାସ ।

ତେବେ ମଣିଷ କଣ ସତରେ ସଂଖ୍ୟାରେ ହିଁ ସୀମିତ ??

କହିବା ବାହୁଲ୍ୟ ସଂଖ୍ୟା ପ୍ରେମରେ ମଣିଷ ଏଠି ଅନ୍ଧ
କପଟପାଶାର ସଂଖ୍ୟା ପଛରେ ପଡି ଦ୍ରୌପଦୀ ଆଜି ବିବସ୍ତ୍ରିତ।
ଭୁଲିଯାଇଛି ଏ ଦୁନିଆ
ସଂଖ୍ୟା ଯେ କେତେ ଅସୀମ
ମଣିଷର ହୃଦୟ ପରି
କୁନି ଛୁଆର ମନ ପରି
କବିର ଯୌବନ ପରି
ମାଆର ସ୍ନେହ ପରି
ସମୁଦ୍ରର ଗଭୀରତା ପରି
ଆକାଶର ଉଚ୍ଚତା ପରି
ଡାକ୍ତରଙ୍କ ଜୀବନ ପରି ।
ସଂଖ୍ୟା କଣ କେବେ ସୀମିତ କରିପାରିଛି
କାହା ଭାଗ୍ୟକୁ ?
କାହା କର୍ମକୁ ?
ଭାଗ୍ୟ ଆଉ କର୍ମରୁ ଫୁଟିଥିବା ଜୀବନର ଫୁଲକୁ ?

ଜୀବନ ତ ଏକ ନଈ ପରି
ସେ ବୋହି ଚାଲିଥିବ ଅକାଶଗଙ୍ଗାରେ ଲୀନ ହେବା ପରେ ମଧ୍ୟ ।
ସଂଖ୍ୟା କଣ କେବେ ରୋକିପାରିଛି
ସୂର୍ଯ୍ୟ ଚନ୍ଦ୍ରଙ୍କର ଆତ ଯାତ ?
କର୍ମମୟ ଜୀବନର ଅଭିଳାଷ?

ତେବେ ବନ୍ଦ କର ସଂଖ୍ୟାର ଏ କୁହୁକ ଚାଳନା
ଦୂର କର ସଂଖ୍ୟାର କୋକୁଆ ଭୟ
ଜୀଇଁଯାଅ ଜୀବନଟେ ଜୀବନ ତମାମ ।

# There is no numbers for happiness.
There is no retirement of joy .

Leave a Reply

Manoj Kishore Nayak

Hitherto known as the "Tissue Paper Poet" and credited many a times with initiating the same genre of poetry I, contemplated of writing this blog where I could inter-alia, endeavour to write my random thoughts and publish that of others. The blog will contain subjects of myriad hues ranging from poetry & travelogues to sundry incidents. Being a 'bookaholic' I would like to tell you about the books I read and the authors I meet across the corners which will quench your thirst for literary entertainment and will impart a certain cachet to your intellectuality. Read More...
Close Menu
%d bloggers like this: