ଭୁବନେଶ୍ୱରକୁ ଚିଠିଟିଏ

ପ୍ରିୟ ଭୁବନେଶ୍ବର,
ଆଜି ସତୁରି ପୁରିଲା । ତଥାପି ଅଠର ବର୍ଷିଆ ଟୋକା ପରି ଦିଶୁଛ। ଚାକଚକ୍ୟ ଆଉ ବେଶଭୁଷାରେ କିଏ ବା ସରି ।
ମୋତେ ପଚିଶି ପୁରିଛି ଏବେ । ତଥାପି ସତୁରି ବର୍ଷର ଦରବୁଢ଼ୀ ପରି ଲାଗୁଛି । ଛାତିରେ ଜୀବନ ବୋଲି କିଛି ନାହିଁ। ଯାହା ଟିକେ ପବନ ଯିବା ଆସିବା କରୁଛି ।
ମୁଁ ସେଇ ଶାଶୁ ଯାହା ଥାଳିରେ ବୋହୁଟିଏ ରାଗ ଗର ଗର ହୋଇ ଫିଙ୍ଗିଦେଇଛି ମୁଠାଏ ଭାତ । ଆଉ କିଏ ପଚାରେ ଏ ବୁଢ଼ୀକୁ । କ’ଣ ବା ଦେଇ ପାରିବି କାହାକୁ ।

ନାତି ବିକାଶ । ତା ମୁହଁ ମୁଁ ଦେଖିନି । ପୁଅ ନବୀ ମନା କରୁଛି ତାକୁ ମୋ ପାଖକୁ ଆସିବାକୁ । ତାକୁ କାଳେ ପାହାଡିଆ ପାଣି ସୁହାଏ ନାହିଁ । ତେଣୁ ବିକାଶ ଏପଟେ ଆସିବନି ।ସେ ସେଇ ଉପକୂଳରେ ହିଁ ରହିବ ।
ସାନ ପୁଅର ହତାଦରକୁ ସଂଭାଳି ହଉନି ।
ଆଜିକାଲି ବଡ଼ ପୁଅ ମୋଦି ବି ଆସିବ ଆସିବ କହୁଛି । ଏଇ କିଛି ଦିନ ତଳେ ଆସିଥିଲା ମେଞ୍ଚେ ଟଙ୍କା ବିଡା ଧରି । ପଂଚାୟତରେ କଣ କାମ ଥିଲା ବୋଲି କହୁଥିଲା । ଗଲା ଯେ ଆଉ କାହିଁ ତା’ର ବି ଦେଖା ନାହିଁ ।
ପଇସା ମୋର କ’ଣ ହେବ ? ପଇସାକୁ ସିଝେଇ ଖାଇବି ନା କଅଣ ମ। ନବୀ କଣ ମୋତେ ପଇସା ଦିଅନ୍ତାନି । ମୁଁ ମାଗିନି ବୋଲି ନା ଆଉ । ନହେଲେ ସେ ସବୁ ଉପକୂଳିଆ ବିକାଶ ପାଖରେ ଗଦେଇ ଦିଅନ୍ତା କି ?
ଏବେ ମୋ ଦିଇ ପୁଅ ଟଣା ଓଟରା । ଏ ବୁଢ଼ୀ ପାଇଁ ହିସାବ ମଗାମଗି । ଆରେ ପୁଅମାନେ ଏବେ ସିନା ଭିନେ ହୋଇଛନ୍ତି । ସେମାନେ ପରା ବାହାଘର ପରେ ନଅ ବର୍ଷ ଯାଏଁ ସାଥିରେ ଥିଲେ।
ସେଇ କଥା କିଆଁ ଭୁଲିଯାଉଛନ୍ତି ??
‘ହଉ ବାବା ଯାଅ…ଆଉ ଲଢେଇ କରନି । କିଏ କାହାକୁ କମ କି । ମୁଁ ଏମିତି ଖୁସିରେ ଅଛି । ବିକାଶ ସେଇ ଉପକୂଳରେ ଥାଉ ମୋର କିଛି କହିବାର ନାହିଁ । ମୋତେ ଆହାର ଗଣ୍ଡେ ମିଳିଗଲେ ଶାନ୍ତି ।’
ନା କଣ କହୁଚ ?
ଇତି
ନବରଙ୍ଗପୁର !

6 thoughts on “ଭୁବନେଶ୍ୱରକୁ ଚିଠିଟିଏ”

  1. ବସନ୍ତ

    ବହୁତ ବଢିଆ ମନୋଜ ଭାଇ ନିଛ୍ଚକ ସତକଥା ଏମିତି ଲେଖା ଯାରିରହୁ ଧନ୍ୟବାଦ

Leave a Reply

error: Content is protected !!